Loading...

PRERANA [ପ୍ରେରଣା : ଜୀବନ ପରିବର୍ତ୍ତନକାରୀ ଗଳ୍ପ ସଙ୍କଳନ]

424.00

200 stories that inspires me you and we all.

କାହାଣୀ, ଘଟଣା, ଆଲେଖ୍ୟ ଅବା ତଥ୍ୟାବଳୀ ରୋଚକ ହେବା ବାଞ୍ଛନୀୟ ନୁହେଁ ବରଂ ଆନ୍ତରୀକ ତଥା ପ୍ରେରଣାଦାୟୀ ହେବା ଆବଶ୍ୟକ । ଯେତେ ସାଧାରଣ ହେଉ ପଛକେ ତାହାର ସୁଗଭୀର ଛାପ କୌଣସି ନାଁ କୌଣସି ବ୍ୟକ୍ତି ଠାରେ ପରିବର୍ତ୍ତନର  ଆଶା ସଞ୍ଚରିତ କରିପାରେ ।  — ସମ୍ପାଦକ

Also available at :

FLIPKART
PLAY BOOKS

Description

ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବା ପାଇଁ ସେ ନାନାପ୍ରକାରେ ସଂସାଧନ ଯୋଗାଡ଼ କରିବା ସହିତ ପ୍ରୟାସ ମଧ୍ୟ କରେ । ଏହାଦ୍ୱାରା ଅବଶ୍ୟ ସେ ଲାଭାନ୍ୱିତ ହୁଏ, ନହେଉଥିଲେ ସେ ଏଭଳି ସାମାଜିକ ବସତି ଭିତରେ ବଞ୍ଚିରହିବାର ପ୍ରୟାସ କରିନଥାନ୍ତା । କହିବାକୁଗଲେ ସମାଜ ଭିତରେ ବଞ୍ଚିବାଦ୍ୱାରା ସେ ଯେଉଁ ସୁବିଧା ପାଏ ତାହା ସେ ଏକାକୀ ରହି ଅନୁଭବ କରିପାରି ନଥାନ୍ତା । ଅଳ୍ପ କେତେକ ବିଶେଷ ବ୍ୟକ୍ତି ଯେଉଁମାନେ ସ୍ୱତନ୍ତ୍ର ବା ଅନ୍ୟ ଲୋକର ପ୍ରାଣୀ, ସେମାନେ ଏହାକୁ ନାପସନ୍ଦ କରିପାରନ୍ତି, ଯେମିତିକି ସାଧୁ-ସନ୍ଥ, ସାଧକ, ବୈରାଗୀ ଇତ୍ୟାଦି । ହୁଏତ ସେମାନେ ସମାଜ ବାହାରେ ରହିଲେ, ନିଜକୁ ଭଗବାନଙ୍କର ଅତି ପ୍ରିୟ କରାଇପାରିବେ, ଏହି ଧାରଣା ତାଙ୍କ ଭିତରେ ବଳବତ୍ତି ହୋଇଯାଇଛି । ତେଣୁ ତାଙ୍କ କଥା ଭିନ୍ନ । ଏବେ ଆମ ସର୍ବ ସାଧାରଣଙ୍କ କଥା । ଆମେ ସମାଜକୁ ଭଲପାଉ, କାରଣ ଆମେ ମଣିଷ । ଆମ ଭିତରେ ମଣିଷପଣିଆ ବଞ୍ଚିରହିଛି । କାହାର ଉପକାର କରିବା, ନିଜେ ସୁରକ୍ଷିତ ରହିବା, ସଂଶାଧନମାନଙ୍କୁ ଏକାଠି ଉପଲବ୍ଧ କରାଇବା ଭଳି ଅନେକ ଛୋଟମୋଟ କାମପାଇଁ ଆମେ ସମାଜ ଉପରେ ନିର୍ଭରଶୀଳ । ଏକତ୍ର ବାସ କରିବାରେ ଆମେ ଯେଉଁ ସୁବିଧା ପାଉ, ତାହାକୁ ସୂଚୀବଦ୍ଧ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଏହା ଯେ ଆମକୁ ଏକ ସରଳ, ସହଯୋଗ ସମ୍ପନ୍ନ ଓ ଭୟରହିତ ଜୀବିକା ନିର୍ବାହରେ ସାହାଯ୍ୟକରେ, ତାହା କହିବା ଅତ୍ୟୁକ୍ତି ହେବନାହିଁ ।
ସମାଜରେ ଅହରହ କିଛି ନାଁ କିଛି ଘଟଣା, ଦୁର୍ଘଟଣା ଘଟି ଚାଲିଛି, ଯାହାକୁ ଆମେ ମୁଣ୍ଡପାତି ସହୁ ଅବା ମୁଣ୍ଡଟେକି ବୋହୁ । କହିବା ବାହୂଲ୍ୟ, କଷ୍ଟକୁ ବା ବିପରୀତ ପରିସ୍ଥିତିକୁ ଆମେ ଯେମିତି ମୁଣ୍ଡପାତି ସହିଯାଉ, ତଦନୁରୂପ କିଛି ସୁଖ ସମୃଦ୍ଧି ପାଇଲେ, ମୁଣ୍ଡଟେକି ବାହା ବାହା ମଧ୍ୟ ନେଉ । ହେଲେ ଏ ସବୁ କୌଣସି ନାଁ କୌଣସି ଘଟଣା ଜଡ଼ିତ ଅଟେ ମାତ୍ର ସହସ୍ରାଧିକ କାରଣରୁ ଆମେ ତାକୁ ଅଣଦେଖା କରି ଆମ ନିଜ କାମରେ ଲାଗିପଡ଼ୁ । ଏମିତି କିଛି ଘଟଣା ରହିଛି, ଯାହା ଅଙ୍ଗେଲିଭା ବ୍ୟକ୍ତିଙ୍କ ପାଇଁ ଯେତିକି ଜ୍ଞାନବୃଦ୍ଧିରେ ସାହାଯ୍ୟ କରେ, ତାଠାରୁ ଅଧିକ ଶ୍ରୋତା ବା ଅଭିଜ୍ଞତାରେ ପ୍ରତିଫଳନକାରୀ ସର୍ବସାଧାରଣ (ଆମେମାନେ) ସତର୍କ ହେବାପାଇଁ ଖୋରାକ ଯୋଗାଇଦିଏ । ସୁତରାଂ ଘଟଣା-ଦୁର୍ଘଟଣାଗୁଡ଼ିକୁ ଆମ ସମସ୍ତଙ୍କ ପାଖରେ ଯଦି କୌଣସି ଉପାୟରେ ଅବଗତ ହେବାର ସୁଯୋଗ ମିଳନ୍ତା, ତେବେ ସତର୍କ ହେବା ସହଜସାଧ୍ୟ ହୋଇପାରନ୍ତା । ଏହା ନିଶ୍ଚୟାତ୍ମକ ଏକ ଆଶ୍ୱାସନା ଅଟେ । ସେଇଥିପାଇଁ ଅନେକ ଶାସ୍ତ୍ର-ପୁରାଣ, ଜୀବନୀ ଓ ସଂସ୍ମରଣ ସବୁ ରଚନା ହୋଇଚାଲିଛି ।
ବିଜ୍ଞ-ଅଭିଜ୍ଞ ମତିବିଶିଷ୍ଟ ବ୍ୟକ୍ତିଙ୍କର ଏହି ପ୍ରୟାସ ସବୁ ଆମକୁ ଅର୍ଥାତ୍ ଆଗାମୀ ପିଢ଼ିକୁ ମାର୍ଗ ଦର୍ଶନରେ ଯଥେଷ୍ଟ ସହାୟକ ହେବ । ଏହା କେବଳ ମୁଁ ନୁହେଁ, ଆମ ସମସ୍ତଙ୍କୁ ସ୍ୱୀକାର କରିବାରେ କୌଣସି ଦ୍ୱିଧା ନାହିଁ । କିନ୍ତୁ, କହିରଖେ, ଏଭଳି କିଛି ଘଟଣା, ପରିସ୍ଥିତି ଓ ଅବସର ଆମ ସମସ୍ତଙ୍କ ଜୀବନରେ ଆସେ, ଯାହାର କୌଣସି ବିଧିବଦ୍ଧ ଲିପିକରଣ ହେବା ସମ୍ଭବ ନୁହେଁ । ଆମେ ଦେଖୁଛେ, କୌଣସି ଏକ ବଡ଼ ସମସ୍ୟାର ସମାଧାନ କେବଳ ବିଦ୍ୱାନଙ୍କ ଦ୍ୱାରା ସମ୍ଭବ ନୁହେଁ ବରଂ ଅଭିଜ୍ଞ କିମ୍ବା ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଇତର ଜୀବର ଦୁଇପଦ କଥାରେ ମଧ୍ୟ ନିହିତ ଥାଏ । ହେଲେ ଏହାକୁ ଆମେ କେବେହେଲେ ଏତେ ଗୁରୁତ୍ୱ ଦେଇନଥାଉ ।
ମୋ ମତରେ ଦୈନନ୍ଦିନ ଜୀବନରେ ଏମିତି ଲକ୍ଷାଧିକ ଘଟଣା ଘଟୁଛି, ଯାହାର ସରଳ ଓ ସହଜ ସମାଧାନ ତା ପର ମୁହୂର୍ତ୍ତରେ ଅବଶ୍ୟ ଆମକୁ ପ୍ରେରିତ କରୁଛି ଓ ଜ୍ଞାନର ପରିସୀମା ବୃଦ୍ଧିରେ ସାହାଯ୍ୟ କରୁଛି । ଏସବୁ ଘଟଣାଗୁଡ଼ିକୁ ଆମେ ଅଣଦେଖା କରି, ହୁଏତ କିଛି ଗୋଟେ ବଡ଼ କାମ କରିନଥାଉ, କାହିଁକି ନାଁ ଅଭିଜ୍ଞତାରୁ ବହୁତକିଛି ସଂଗ୍ରହ କରାଯାଇପାରେ । ବରଂ ପରିସ୍ଥିତିକୁ ସାମନା କଲେ, ତହିଁରୁ ନିବୃତ୍ତିର ମାର୍ଗ ନିର୍ଦ୍ଧାରଣ କରିବା ଆମ ଅନ୍ତଃକରଣରୁ ସ୍ୱତଃ ନିଃସୃତ ହୋଇଯାଏ । ଏହାର ଅର୍ଥ ନୁହେଁ ଯେ, ଆମେ ପ୍ରତ୍ୟେକଟି କ୍ଷେତ୍ରରେ ଗୋଟିଏ ବାସ୍ତବ ଓ ଯଥାର୍ଥ ସମାଧାନ ପାଇଥାଉ । ଏମିତି ବି ସମୟ ଆସେ, ଜାଣିଶୁଣି, ଭାବିବିଚାରି ମଧ୍ୟ ଆମେ ସାମାନ୍ୟତମ ଅଜ୍ଞତାର ଶିକାର ହୋଇ ଛୋଟ ଏକ ଭୁଲର ପରିଣତି ପାଇଁ ଦୁଃଖ ଆଉ କଷ୍ଟକୁ ଆମନ୍ତ୍ରଣ କରିଥାଉ ।
ମନୋବୈଜ୍ଞାନିକ ତଥା ମହାତ୍ମାମାନଙ୍କ ମତରେ ଅବଧାରଣା ତିଆରି କରିବା, ନିଷ୍କୃତିର ମାର୍ଗ ନାନା ଉପାୟରେ ଅନ୍ତର୍ମନରେ ଆକଳନ କରିବା ଏବଂ ସାମାନ୍ୟ ପରିସ୍ଥିତିମାନଙ୍କର ଉଦାହରଣମୂଳକ ଦୃଷ୍ଟାନ୍ତ ମସ୍ତିଷ୍କରେ ଏକପ୍ରକାର ପ୍ରତିଛବି ତିଆରି କରେ, ଯାହାକି ସମାନ ବା ସାମାନ୍ୟ ପରିବର୍ତ୍ତିତ ସ୍ଥିତିରେ ସହସା ଉପଯୋଗ କରିବା ସହଜ ହୋଇଉଠେ । ତେବେ ଏ ସବୁ ବିଷୟରେ ପୂର୍ବାନୁମୋଦିତ ଧାରଣା ତିଆରି କରିବା ସବୁଠୁ ବଡ଼ କଥା । କିଛି ଘଟଣା ଘଟିଲେ ସିନା, ତାହାକୁ ସାମନା କରିବାର ମାର୍ଗ ଅନୁସନ୍ଧାନ କରିବାକୁ ପଡ଼ିବ, ଅନ୍ୟଥା ନୁହେଁ । କିନ୍ତୁ ଏହା କେବେ ସତ ନୁହେଁ ଯେ, ସମସ୍ତଙ୍କ କ୍ଷେତ୍ରରେ ସମାନ ପ୍ରକାର ସମସ୍ୟା ଦେଖାଦେବ ।
ମାତ୍ର ଛୋଟିଆ ଏକ ଆଶ୍ୱାସନା ହେଉଛି କି, ଆମ ସହିତ ଯଦି କେବେ ସେଭଳି କୌଣସି ଘଟଣା ଘଟେ, ତେବେ ଆମେ ଆହରଣ କରିଥିବା ଅଭିଜ୍ଞତାକୁ ଆଧାର କରି ତାହାର ସମାଧାନ କରିଥାଉ । ଅର୍ଥାତ୍ ଅନ୍ୟ କାହା କ୍ଷେତ୍ରରେ ଅବା ଅନ୍ୟ କୌଣସି ସମୟରେ ସୃଷ୍ଟ ସମସ୍ୟାର ସମାଧାନ ଆମେ ପୂର୍ବ ଅଭିଜ୍ଞତା ଭିତ୍ତିରେ ସହଜ ଓ ସରଳ ଭାବରେ କରିଥାଉ ।
ତେଣୁ ଏହା ଏକ ପ୍ରକାର ପ୍ରୟାସ ହୋଇପାରେ, ଆମ ଚତୁର୍ପାର୍ଶ୍ୱରେ ଘଟୁଥିବା ସାମାନ୍ୟତମ ଘଟଣାମାନଙ୍କୁ ଅନ୍ୟମାନଙ୍କୁ ଅବଗତ କରାଇବା ଏକପ୍ରକାର ଧାରଣା ତିଆରି କରିବାରେ ସହଯୋଗ ମାତ୍ର, ଯାହା ମୁଁ ଏହି ସଂକଳନଟିରେ ଉପସ୍ଥାପନ କରିବାପାଇଁ ଚେଷ୍ଟିତ ହୋଇଛି । ଏଥିରେ ଜୀବନର ସାମାନ୍ୟ ଓ ଅତି ନଗଣ୍ୟ କଥାକୁ ଯଥାର୍ଥତାର ରୂପ ଦେବାକୁ ପ୍ରୟାସ କରିଛି । ଏହା ମୋର ସମ୍ପୂର୍ଣ୍ଣ ନିଜସ୍ୱ ନୁହେଁ । ଆଜିକାଲିର ଉପଲବ୍ଧ ସଂଶାଧନ ଏହାର ଏକ ମୁଖ୍ୟ ସ୍ରୋତ ଅଟେ । ଯେମିତି କି, ସୋସିଆଲ୍ ମିଡ଼ିଆରୁ ସଂଗୃହୀତ ତଥ୍ୟ, ଇଣ୍ଟରନେଟ୍‌ରେ ଉପଲବ୍ଧ ଘଟଣା, ଗୁରୁ-ଗୁରୁଜନଙ୍କର ମୁଖନିଃସୃତ ବାଣୀ ଓ ଘଟଣା, ଦୈନିକ ସମାଜପତ୍ର ଓ ପତ୍ରପତ୍ରିକା ଭଳି ଅନେକ ସହଯୋଗ ସ୍ରୋତ ମୋତେ ଏସବୁକୁ ସଂକଳନ କରିବାରେ ସହାୟକ ହୋଇଛନ୍ତି । ହଁ, କେବଳ ଏତିକିମାତ୍ର ମୋର ପ୍ରୟାସ କି, ମୁଁ ମୋ ଭାଷାରେ ଆମଭଳି ପାଠକମାନଙ୍କ ପାଇଁ ଏହାକୁ ପରିବେଷଣ କରିବାକୁ ପ୍ରୟାସ କରିଛି । ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇପାରେ, ଜ୍ଞାନର ତାରତମ୍ୟତା ଥାଇପାରେ, ନିଷ୍କର୍ଷ ସଂକୀର୍ଣ୍ଣ ହୋଇପାରେ, ମାତ୍ର ଯାହା ମୁଁ ଆହରଣ କରିଛି ଓ ଯେଉଁଭଳି ବୁଝିଛି, ସେହିଭଳି ଉପସ୍ଥାପନ କରିଛି । ପାଠକୀୟ ମତାମତ ମୋତେ ବେଶି ଆନନ୍ଦ ଦେବନାହିଁ, କାହାର ନିନ୍ଦା ଓ ଭର୍ତ୍ସନା ବି ଏଥିପାଇଁ କିଛି ମାନେ ରଖିବନାହିଁ କାରଣ ମୋ ଭଳି ସାମାନ୍ୟ ଏକ ପ୍ରାଣୀ ସମାଜରେ ଘଟୁଥିବା ଘଟଣାକୁ ମୋ ନିଜ ଦୃଷ୍ଟିଭଙ୍ଗୀ ଯେଉଁଭଳି ଯଥାର୍ଥ ମନେକଲା, ସେହିଭଳି ଉପସ୍ଥାପନ କରିଛି । ଏହା ଯଦି କାହାକୁ ପ୍ରେରଣା ଯୋଗେଇ ପାରିଲା, ତାହା ମୋପାଇଁ ଶ୍ରେଷ୍ଠତମ ପ୍ରେରଣା ହେବ ।
କୃତଜ୍ଞତା ସେହିମାନଙ୍କ ପାଇଁ, ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି କାମଟିକୁ ସମ୍ପାଦନ କରିବାପାଇଁ ପ୍ରେରିତ କରିଛନ୍ତି । ଅଧିକ କୃତଜ୍ଞ ସେମାନଙ୍କ ପାଖରେ ଯେଉଁମାନେ ଓମ୍‌କାର ୱାଟ୍‌ସଆପ୍, ଟେଲିଗ୍ରାମ୍‌ର ଗ୍ରୁପ ଗୁଡିକରେ ମୋର ଏହି ଛୋଟଛୋଟ ପ୍ରେରଣାଗୁଡ଼ିକୁ ଆସ୍ୱାଦନକରି ପ୍ରୋତ୍ସାହିତ କରିଛନ୍ତି । ଯଦି ସେମାନେ ଏହାକୁ ସ୍ୱୀକାର କରିନଥାନ୍ତେ ବା ଅବରୋଧ କରିଥାନ୍ତେ, ହୁଏତ ମୋ ମନରେ କେବେ ଆଗ୍ରହ ବି ଦେଖାଦେଇନଥାନ୍ତା । ତେଣୁ ସେମାନେ ବାସ୍ତବରେ ମୋପାଇଁ ପ୍ରେରଣାର ଉତ୍ସ ।
ଏଭଳି ଏକ ଉପାଦେୟ ତଥା ଶିକ୍ଷାପ୍ରଦ କାର୍ଯ୍ୟ ନିମନ୍ତେ ଯିଏ ମୋ ମଧ୍ୟରେ ପ୍ରତ୍ୟକ୍ଷରୂପେ ପରିକଳ୍ପନାର ଭାବ ସୃଷ୍ଟି କରିବା ସହିତ ପ୍ରତ୍ୟେକଟି ପ୍ରେରଣା ନିମନ୍ତେ ମୋତେ ଅନୁପ୍ରେରିତ କରିଛନ୍ତି ଏବଂ ପ୍ରତିଟି କ୍ଷେତ୍ରରେ ଏହାର ଉପଦେୟତାକୁ ସିଦ୍ଧକରି ନିର୍ଭୁଲ ଉପସ୍ଥାପନା ନିମିତ୍ତ ମୋ’ଠାରେ ଆଗ୍ରହ ତଥା ଉତ୍ସାହ ସୃଷ୍ଟି କରିଛନ୍ତି, ସେହି ଅନନ୍ୟ ଅସାଧାରଣ ଜ୍ଞାନ ତଥା ବ୍ୟକ୍ତିତ୍ୱର ଅଧିକାରୀ ସମ୍ପାଦକଙ୍କୁ ମୁଁ ଆନ୍ତରିକ ପ୍ରଣାମ ତଥା କୃତଜ୍ଞତା ଜଣାଉଅଛି ।
ସର୍ବୋପରି ସେ ହିଁ ମୋର ଶ୍ରେଷ୍ଠତମ ପ୍ରେରକ, ଯାହାଙ୍କ ଅନୁପ୍ରେରଣାରେ ପ୍ରେରିତ ହୋଇ ମୁଁ ନିତ୍ୟ-ନୈମିତ୍ତିକ କାମ ଭାବରେ ଏଗୁଡ଼ିକୁ ପ୍ରସ୍ତୁତକରି ସମର୍ପଣ କରୁଥିଲି । ସେ ଆଉ କେହି ନୁହଁନ୍ତି, ମୋର ପ୍ରିୟତମ ପରମାତ୍ମା ପରଂବ୍ରହ୍ମ ଭଗବାନ୍‌ ଶ୍ରୀକୃଷ୍ଣଚନ୍ଦ୍ର  !

Additional information

Weight 0.5 g
Dimensions 22 × 14 × 4 cm
book-type

Special Paper Back

format

Paperback

language

Odia

price

Cost Price

quality

Special Quality

size

Demai

specification

60 GSM Stora Creamy

You may also like…

Quick Navigation
×
×

Cart

Buy for 699.00 more and get free shipping