ଭାରତୀୟ ଜ୍ଞାନପରମ୍ପରାର ମୂଳ ଉଦ୍ଦେଶ୍ୟ କେବଳ ବାହାର ଜଗତ୍ ବିଷୟରେ ଜ୍ଞାନ ଦେବା ନୁହେଁ; ମଣିଷକୁ ତାହାର ନିଜ ସ୍ୱରୂପ ବିଷୟରେ ଜାଗ୍ରତ କରିବା ମଧ୍ୟ ଏହାର ଏକ ପ୍ରମୁଖ ଲକ୍ଷ୍ୟ । “ମୁଁ କିଏ?”, “ମୋର ଜୀବନର ପ୍ରକୃତ ଲକ୍ଷ୍ୟ କ’ଣ?”, “ସୁଖ ଓ ଦୁଃଖର ପରେ କ’ଣ ଅଛି?”, “ମୃତ୍ୟୁରେ କ’ଣ ସବୁ କିଛି ପରିସମାପ୍ତି ହୋଇଯାଏ?”—ଏହି ପ୍ରଶ୍ନଗୁଡ଼ିକ ଯେତେ ପୁରୁଣା, ଆଜି ମଧ୍ୟ ସେତେ ଜୀବନ୍ତ । ସମୟ ବଦଳିଛି, ଜୀବନର ପରିବେଶ ବଦଳିଛି, ଜ୍ଞାନର ମାଧ୍ୟମ ବଦଳିଛି; ହେଲେ ମଣିଷର ମୌଳିକ ପ୍ରଶ୍ନ ସବୁ ବଦଳିନାହିଁ ।
ଉକ୍ତ ମୌଳିକ ପ୍ରଶ୍ନଗୁଡ଼ିକ ମଧ୍ୟରୁ “ମୁଁ କିଏ ?” ପ୍ରଶ୍ନଟିକୁ କେନ୍ଦ୍ରରେ ରଖି ଅଦ୍ୱୈତ ବେଦାନ୍ତର ଗଭୀର ଚିନ୍ତାକୁ ସରଳ ଭାଷାରେ ପାଠକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ ହେଉଛି ଏହି ଦଶଶ୍ଲୋକୀ ।
ଦଶଶ୍ଲୋକୀ ପାରମ୍ପରିକ ଭାବରେ ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ନାମରେ ସ୍ୱୀକୃତ ଏକ ଅତ୍ୟନ୍ତ ସଂକ୍ଷିପ୍ତ ଗ୍ରନ୍ଥ । ମାତ୍ର ଦଶଟି ଶ୍ଲୋକ ମଧ୍ୟରେ ଆତ୍ମା ଓ ଅନାତ୍ମାର ବିଚାର, ଦେହ ଓ ମନଠାରୁ ନିଜର ପ୍ରକୃତ ପରିଚୟକୁ ପୃଥକ୍ କରିବାର ପଦ୍ଧତି ଏବଂ ଶେଷରେ ନିଜର ଶୁଦ୍ଧ ସ୍ୱରୂପକୁ ଚିହ୍ନିବାର ଦିଗ ଦେଖାଯାଇଛି । ଏହି ସଂକ୍ଷିପ୍ତତା ହିଁ ଏହାର ଶକ୍ତି । ଏତେ କମ୍ ଶବ୍ଦରେ ଏତେ ବଡ଼ ତତ୍ତ୍ୱକୁ ଧାରଣ କରିଥିବାରୁ ଦଶଶ୍ଲୋକୀ ଅଦ୍ୱୈତ ବେଦାନ୍ତର ଅଧ୍ୟୟନରେ ଏକ ମୂଲ୍ୟବାନ ପ୍ରବେଶଦ୍ୱାର ହୋଇପାରିଛି ।











Reviews
There are no reviews yet.