ଦତ୍ତାନନ୍ଦାଃ ପ୍ରଜାନାଂ ସମୁଚିତ-ସମୟାକୃଷ୍ଟସୃଷ୍ଟୈଃ ପୟୋଭିଃ
ପୂର୍ବାହ୍ଣେ ବିପ୍ରକୀର୍ଣ୍ଣା ଦିଶି ଦିଶି ବିରମତ୍ୟହ୍ନି ସଂହାରଭାଜଃ ।
ଦୀପ୍ତାଂଶୋର୍ଦୀର୍ଘଦୁଃଖପ୍ରଭବଭବ-ଭୟୋଦନ୍ୱଦୁତ୍ତାରନାବୋ
ଗାବୋ ବଃ ପାବନାନାଂ ପରମ-ପରିମିତାଂ ପ୍ରୀତିମୁତ୍ପାଦୟନ୍ତୁ ।।
ସୂର୍ଯ୍ୟଙ୍କ କିରଣ ଗ୍ରୀଷ୍ମଋତୁରେ ଜଳକୁ ଆକୃଷ୍ଟ କରି ବାଷ୍ପୀଭୂତ କରାନ୍ତି ଏବଂ ବର୍ଷାଦିନରେ ବାଷ୍ପକୁ ଜଳରେ ସୃଷ୍ଟି କରି ପୃଥିବୀପୃଷ୍ଠରେ ବର୍ଷା କରାନ୍ତି । ସେହି କିରଣ ମଧ୍ୟ ଏହି ଜଳ ପ୍ରଦାନ କରି ପ୍ରଜାକୁଳକୁ ବହୁ ଆନନ୍ଦିତ କରିଥାନ୍ତି । ତଦନୁରୂପ କିରଣଗୁଡିକ ପ୍ରାତଃକାଳରେ ଚତୁର୍ଦ୍ଦିଗକୁ ଆଲୋକିତ କରି, ମଧ୍ୟାହ୍ନରେ ତୀକ୍ଷ୍ଣରୂପେ ଉତ୍ତାପ ପ୍ରଦାନ କରି ବିଚରଣ କରନ୍ତି । ସଂଧ୍ୟାରେ ସେପରି ନିଜ ରୂପକୁ ସଙ୍କୁଚିତ କରନ୍ତି । ଏତାଦୃଶ କାର୍ଯ୍ୟ କରି ସଂସାରର କଷ୍ଟରୂପକ ସାଗରରୁ ପ୍ରାଣୀମାନଙ୍କୁ ନୌକାସମାନ ପାର କରାନ୍ତି । ଏପରି ସୂର୍ଯ୍ୟଙ୍କ ପବିତ୍ର କିରଣ ତୁମ୍ଭପରି ପୁଣ୍ୟବାନ୍ମାନଙ୍କୁ ବହୁ ପରିମାଣର ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହୁଅନ୍ତୁ ।।୯।।
ଉକ୍ତ ଶ୍ଳୋକରେ କବି ମୟୂର ସୂର୍ଯ୍ୟଙ୍କ କିରଣଦ୍ୱାରା ଜଳୀୟବାଷ୍ପ ସୃଷ୍ଟିହେବା ଓ ତାର ପ୍ରକ୍ରିୟାର ସମୟ ଗୋଟିିଏ ମାତ୍ର ଶ୍ଳୋକରେ ବର୍ଣ୍ଣନା କରି ନିଜର ପାଣ୍ଡିତ୍ୟ ପ୍ରଦାନ କରିଛନ୍ତି । ଏହା ସହିତ ସାଂସାରିକ କଷ୍ଟର ସମ୍ପର୍କସମ୍ବନ୍ଧରେ ଦୃକ୍ପାତ କରି ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଏକ ତୁଳନାତ୍ମକ ମତ ପ୍ରଦାନ କରାଯାଇଛି ।











