Loading...
ସାଧନ ସମର

ସାଧନ ସମର

ସାଧନ-ସମର ପରମଗୁରୁ ବ୍ରହ୍ମର୍ଷି ଶ୍ରୀଶ୍ରୀ ସତ୍ୟଦେବ ଠାକୁରଙ୍କର ଏକ ଦୁର୍ମୂଲ୍ୟ କୃତି  । ଦେବୀ ମାହାତ୍ମ୍ୟ ବା ଶ୍ରୀଶ୍ରୀ ଚଣ୍ଡୀର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବେ ବଙ୍ଗ ସାହିତ୍ୟରେ ଅନେକ ବର୍ଷରୁ ଆଦୃତ  । ତିନିଖଣ୍ଡରେ ବିଭକ୍ତ ଏହି ଗ୍ରନ୍ଥରତ୍ନଟି ବ୍ରହ୍ମଗ୍ରନ୍ଥି ଭେଦ, ବିଷ୍ଣୁଗ୍ରନ୍ଥି ଭେଦ ଓ ରୁଦ୍ରଗ୍ରନ୍ଥି ଭେଦ ଭାବେ ଖ୍ୟାତ ହୋଇଛି  । ହିନ୍ଦୁଶାସ୍ତ୍ରରେ ସର୍ବସମ୍ମତ ଦୁର୍ଗା ସପ୍ତଶତୀ ଗ୍ରନ୍ଥ, ଯାହାର ଅନ୍ୟନାମ ଶ୍ରୀଶ୍ରୀ ଚଣ୍ଡୀ ମାର୍କଣ୍ଡେୟ ପୁରାଣରୁ ଆନୀତ । ଏହା ଅଷ୍ଟାଦଶ ପୁରାଣ ଅନ୍ତର୍ଭୁକ୍ତ ଏକ ବିଶେଷ ପୁରାଣ  । ଏଥିରେ ଭଗବତୀଙ୍କର ରହସ୍ୟ ଉନ୍ମୋଚନ ସମେତ ଆଖ୍ୟାନ ସ୍ଥାନୀତ ହୋଇଛି  । ତନ୍ମଧ୍ୟସ୍ଥ ଦୁର୍ଗା ସପ୍ତଶତୀ ଅଂଶରେ ଦେବୀଙ୍କର ଅପାର କୃପା ଓ ଇତିହାସ ସମେତ ଗୂଢ଼ ସାଧନ ରହସ୍ୟ ପରିକୀର୍ତ୍ତିତ ହୋଇଛି  । କର୍ମ, ଭକ୍ତି ଓ ଜ୍ଞାନର ତ୍ରିିବିଧ ମନ୍ଦାକିନୀ ପ୍ରବାହିତ କରିପାରୁଥିବା ଉକ୍ତ ଗ୍ରନ୍ଥଟି ଭକ୍ତମାନଙ୍କ ପାଇଁ ବାଞ୍ଛାକଳ୍ପତରୁ ସଦୃଶ  । ଏହାଦ୍ୱାରା ସକାମ ଭକ୍ତ ମନ୍ତ୍ରୋଭିଳଷିତ ଦୁର୍ଲ୍ଲଭତମ ବସ୍ତୁ ପ୍ରାପ୍ତ କଲାବେଳେ ନିଷ୍କାମ ଭକ୍ତ ପରମ ଦୁର୍ଲ୍ଲଭ ମୋକ୍ଷ ପ୍ରାପ୍ତି କରିବାକୁ ସକ୍ଷମ ହୁଏ  ।
ତାମୁପୈହି ମହାରାଜ ଶରଣଂ ପରମେଶ୍ୱରୀମ୍  ।
ଆରାଧିତା ସୈବ ନୃଣାଂ ଭୋଗସ୍ୱର୍ଗାପବର୍ଗଦା ॥

ହେ ମହାରାଜ୍ ! ଆପଣ ସେହି ଭଗବତୀ ପରମେଶ୍ୱରୀଙ୍କର ଶରଣାପନ୍ନ ହୁଅନ୍ତୁ  । ଆପଣଙ୍କ ଆରାଧନାରେ ସେ ପ୍ରସନ୍ନ ହେଲେ ତୁମେ ଭୋଗ, ସ୍ୱର୍ଗ ଓ ଅପୁନରାବର୍ତ୍ତୀ ମୋକ୍ଷ ପ୍ରାପ୍ତ ହେବ  ।
ମହର୍ଷି ମେଧାଙ୍କର ଏତାଦୃଶ କଥନ ଅବଲମ୍ବନରେ ମହାରାଜା ସୁରଥ ସବୁକିଛି ପ୍ରାପ୍ତ ହେବା କଥା, ଉକ୍ତ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି  । ପ୍ରଣେତା ଶାସ୍ତ୍ରଟିକୁ ବିଭାଜୀକରଣ କରିବାରେ ବିଶେଷ ବିଶେଷତା ରହିଛି  । ସର୍ବୋପରି ଗ୍ରନ୍ଥି ଓ ତାହାର ଉନ୍ମୋଚନ ପ୍ରତ୍ୟେକଟି ଖଣ୍ଡର ବିଶେଷତା ଅଟେ । ଗ୍ରନ୍ଥି ଅର୍ଥାତ୍ ଗଣ୍ଠି ଯାହାକୁ ଅବଗତ ହୋଇ ସାମାନ୍ୟତମ ବୁଦ୍ଧିଯୁକ୍ତ ଚେଷ୍ଟା ଦ୍ୱାରା ସହଜରେ ଖୋଲିଯାଉଥିଲାବେଳେ ଅଜ୍ଞ ବା ମୂର୍ଖମାନଙ୍କ ଯୋଗୁଁ ତାହା ବିଶେଷଭାବରେ ଗ୍ରନ୍ଥିତ ହୋଇଯାଏ  । ଆଉ ଖୋଲିବାର ଜୁ-ରହେ ନାହିଁ  । ସାଧାରଣ ଜୀବ ଏହିଭଳି ଗ୍ରନ୍ଥନରେ ଗୁନ୍ଥିତ ହୋଇ ସଂସାରାର୍ଣ୍ଣବରେ ପତିତ ହେବା ଏହାର ଉଦାହରଣ ମାତ୍ର  । ତେବେ ଜ୍ଞାନଯୁକ୍ତ ହୋଇ ଜୀବର ଐହିକ ଗ୍ରନ୍ଥିଗୁଡ଼ିକ ଯଦି ଗ୍ରନ୍ଥନର ଧାରାକୁ ଅବଗତ କରାଇଦିଅନ୍ତି, ତେବେ ତାହାକୁ ଖୋଲିବାରେ ଆଉ ବିଳମ୍ବ ହେବନାହିଁ  । ଏବେ ରହିଲା ଗ୍ରନ୍ଥିର ପରିଚୟ  । ବ୍ରହ୍ମଗ୍ରନ୍ଥି ହେଉଛି ସଂସ୍କାରରାଶିର ଏହିଭଳି ଚକ୍ରାକାର ପ୍ରବାହଜନିତ ଜନ୍ମ-ମୃତ୍ୟୁ ଧାରାର ଅନନ୍ତ ପ୍ରବାହ  । ଏହି ଚକ୍ରାନ୍ତରୁ ଊଦ୍ଧାର ପାଇବାକୁ ହେଲେ, ସଂସ୍କାରର ପ୍ରବାହଚକ୍ରକୁ ଭଙ୍ଗ କରିବାକୁ ହେବ  । ଭଙ୍ଗ କରିବାର ଅର୍ଥହେଲା ପ୍ରବାହର ଧାରାକୁ ଗତିରୋଧ କରି ଅନ୍ୟତ୍ର ଗମନ କରାଇବା  । ଏଥିପାଇଁ ଏକ ସ୍ୱତନ୍ତ୍ର ରାସ୍ତା ଯଦି ଲାଭ କରାଯାଏ, ତେବେ ଗତି ସହଜ ହେବ  । ସୁ-ସଂସ୍କୃତ ହୋଇ ଜୀବ ଆଗାମୀ ସଂସ୍କାରଗୁଡ଼ିକୁ ଶୁଦ୍ଧ କରାଇପାରିବ ଆଉ ପ୍ରାରବ୍ଧ କ୍ଷୟକରି ସତ୍ୟରେ ପ୍ରତିଷ୍ଠିତ ହେବ  । ଏହିଭଳି ସାଧନାରେ ସିଦ୍ଧିଲାଭ କଲେ ଜୀବର ବ୍ରହ୍ମଗ୍ରନ୍ଥି ଭେଦ ହେବ  । ଏହାର ମାନେ ହେଉଛି ଜୀବତ୍ୱର ଗତି ଅପବର୍ଗମୁଖୀ ହେବା  । ସଞ୍ଚତ୍ତ ସଂସ୍କାର ଯେତେବେଶୀ ଥାଉନା କାହିଁକି କ୍ଷୟଜନିତ ଅନେକବାର ସ୍ଥୂଳ ଦେହ ଧାରଣ ହେଉଥିବା କାରଣରୁ ସଞ୍ଚତ୍ତ କର୍ମ କ୍ଷୟ ଗଲେ ମୁକ୍ତି ଅବଶ୍ୟମ୍ଭାବୀ  । ଏହାଦ୍ୱାରା ଦ୍ୱିତୀୟ ଲାଭ ମଧ୍ୟ ହୁଏ  । କ୍ରମଶଃ ଅନ୍ତଃରାଜ୍ୟରେ ପ୍ରବେଶ କରି ଜୀବଠାରେ ଶକ୍ତିର ସଞ୍ଚରଣ ହୁଏ  । ଦେହର ଆବର୍ତ୍ତମାନରେ ଗୁରୁକୃପାରୁ ସ୍ଥୂଳ ଶରୀରରେ ସୂକ୍ଷ୍ମତାର ସ୍ପର୍ଶପାଇ ଜୀବ ସାଧନ ଉପଯୋଗୀ ହେବ  ।
ଜୀବର ପରବର୍ତ୍ତୀ ସ୍ଥିତିକାଳରେ ଯେଉଁ ଅବଧାରଣାମାନ ସୃଷ୍ଟିହେବ, ତହିଁରୁ ଉଦ୍ଧାର ପାଇବା ପାଇଁ ଦ୍ୱିତୀୟ ଗ୍ରନ୍ଥି ଅର୍ଥାତ୍ ବିଷ୍ଣୁଗ୍ରନ୍ଥି ଭେଦ କରିବାକୁ ହେବ  । ମୁକ୍ତିପଥରେ ଯେଉଁ ଦ୍ୱିତୀୟ ବାଧା ଥାଏ, ତାହା ହେଉଛି ବିଷ୍ଣୁଗ୍ରନ୍ଥି  । ପ୍ରାଣମୟ ଦେବତା ବିଷ୍ଣୁଙ୍କର ସ୍ଥିତିଶକ୍ତି, ଯେଉଁଠାରେ ପରିଚ୍ଛିନ୍ନ ବିଷୟଭୋଗର ସଂସ୍କାର ଭବିଷ୍ୟତ ଜନ୍ମ ପାଇଁ ସଞ୍ଚତ୍ତ ଥାଏ, ତାହା ସଂଜ୍ଞାନୁସାରେ ସଞ୍ଚତ୍ତ ସଂସ୍କାର ବୋଲାଏ । ତାହା ଇହଜନ୍ମରେ ପ୍ରକାଶିତ ହୁଏନାହିଁ ମାତ୍ର ପ୍ରଭାବ ବିସ୍ତାରକରେ  । ତେଣୁ ଉକ୍ତ ସଂସ୍କାର ରାଶିରୁ ମୁକ୍ତି ପାଇବା ପାଇଁ ଯେଉଁ ଅବଲମ୍ବନ ଦରକାର, ତାହାକୁ ଆମେ ବିଷ୍ଣୁଗ୍ରନ୍ଥି ଭେଦ କହିପାରିବା  । ଏହି ଗ୍ରନ୍ଥି ଭେଦରେ ଅନେକ ସୁଫଳ ରହିଛି  । ତନ୍ମଧ୍ୟରୁ ସମଗ୍ର ବିଷୟ ଆତ୍ମପ୍ରାଣ ସ୍ଫୁରଣ ରୂପେ ବୋଧ ହେବା ଅନ୍ୟତମ ଅର୍ଥାତ୍ ପ୍ରାଣମୟ ସତ୍ତା ଯେଉଁଭଳି ତ୍ରିପୁଟୀ ଭାବରେ ଦ୍ରଷ୍ଟା-ଦୃଶ୍ୟ ଓ ଦର୍ଶନ ରୂପେ ବିଦ୍ୟମାନ  । ଏହି ଦୁର୍ଲ୍ଲଭ ଅନୁଭବ ହେବାଯୋଗୁଁ ବୈରାଗ୍ୟଲାଭହେବ  । ବୈରାଗ୍ୟଲାଭ ନହେଲେ ବିଷୟ-ବିତୃଷ୍ଣା ଜନ୍ମେ ନାହିଁ କି ଅନୁରାଗ-ବିଦ୍ୱେଷ ତିରୋହିତ ହୁଅନ୍ତି ନାହିଁ  । ଉକ୍ତ ଗ୍ରନ୍ଥି ଭେଦହେଲେ ଜୀବଠାରେ ବୈରାଗ୍ୟ ଆପେ ଜାତହେବ  ।
ତଦନୁରୂପ ରୁଦ୍ରଗ୍ରନ୍ଥିର ଭେଦ ମଧ୍ୟ ବିଶେଷ ଜରୁରୀ  । ବିଶାଳ ବିଜ୍ଞାନମୟ କ୍ଷେତ୍ରରେ ଐଶ୍ୱରୀକ ଭୋଗରୁ ଯେତେବେଳେ ବିରକ୍ତି ଜନ୍ମେ ଅର୍ଥାତ୍ ସଂସାରକୁ ସମ୍ପୂର୍ଣ୍ଣ ଅବଗତ ହୋଇ ଜୀବ ଏହାର ତୁଚ୍ଛତାକୁ ଅନୁଭବ କରେ, ସେତେବେଳେ ତାକୁ ଆଉ ଆନନ୍ଦ ଭଲ ଲାଗେ ନାହିଁ  । ସେହି ସାଧକ ଅଧୁନା ଚିରନିଦ୍ରାରେ ବିଲୀନ ହେବାପାଇଁ ଉଦ୍ବିଘ୍ନ ହୋଇଉଠେ  । ଏହି ମୁକ୍ତିର ମାର୍ଗ କେବଳ ରୁଦ୍ରଗ୍ରନ୍ଥି ଭେଦରେ ନିହିତ  । ଗ୍ରନ୍ଥି ଭେଦହେଲେ ବ୍ରହ୍ମମୟୀ ମା’ ସ୍ୱୟଂ ପ୍ରଳୟ ରୂପରେ ସମାହିତ ହୁଅନ୍ତି  । ଅଧୁନା ମାତା-ପୁତ୍ର, ଗୁରୁ-ଶିଷ୍ୟ, ସାଧ୍ୟ-ସାଧକ ସମ୍ବନ୍ଧ ସବୁର ବିଲୀନ ହୁଏ  । ଦ୍ୱନ୍ଦ୍ୱାତୀତ, ବିମଳ, ଅଚଳ ପଦ ଉଦ୍ଭାସିତ ହୁଏ, ଯାହାକି ଭାବାତୀତ, ତ୍ରିଗୁଣରହିତ, ସଚ୍ଚିଦାନନ୍ଦମୟ ବୋଲି ଆମେ କଳ୍ପନା କରିବା  ।
ତେଣୁ ସାଧକ ନିଶ୍ଚିତପକ୍ଷେ ଏତାଦୃଶ ସାଧନାରେ ନିମଜ୍ଜି ରହି ଯେତେବେଳେ ପ୍ରକୃତ ସତ୍ୟକୁ ଉପଲବ୍ଧତ୍ କରିବାକୁ ସକ୍ଷମ ହୁଏ, ସେତେବେଳେ ଗ୍ରନ୍ଥିତ୍ରୟ ଭେଦହୋଇ ଜୀବ ପରମାବସ୍ଥାରେ ଉପନୀତ ହୋଇଥାଏ  । ସତ୍ୟସାଧକ ବ୍ରହ୍ମର୍ଷି ସତ୍ୟଦେବ ଏହି ନିଗୂଢ ରହସ୍ୟକୁ ଅବଗତହୋଇ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି, ତାହା କାହାପାଇଁ ଅନସ୍ୱୀକାର୍ଯ୍ୟ ନୁହେଁ  । ପାଠକେ, ଗ୍ରନ୍ଥତ୍ରୟ ପଠନକରି ପ୍ରକୃତ ସତ୍ୟାସତ୍ୟକୁ ଅବଗତ ହୋଇପାରିଲେ, ପରମଗୁରୁଙ୍କର ପ୍ରଚେଷ୍ଟା ଫଳବତୀ ହେଲା ବୋଲି ବୁଝିବାକୁ ହେବ  । ଦୁର୍ଗତିନାଶିନୀ ମା’ ଦୁର୍ଗା ! ଦୁର୍ଗତର ପ୍ରତିରୋଧକରି ଯେଉଁ ଦୁର୍ଗରେ ପ୍ରତିଷ୍ଠା କରାଇବେ, ତାହା ହିଁ ହେବ କାମନା!!!

ଦେବ୍ୟା ଯୟା ତତମିଦଂ ଜଗଦାତ୍ମଶକ୍ତ୍ୟା ନିଶ୍ଶେଷଦେବଗଣଶକ୍ତିସମୂହମୂର୍ତ୍ତ୍ୟା  ।
ତାମମ୍ବିକାମଖିଳଦେବମହର୍ଷିପୂଜ୍ୟାଂ ଭକ୍ତ୍ୟା ନତାଃ ସ୍ମ ବିଦଧାତୁ ଶୁଭାନି ସା ନଃ ॥

କଲ୍ୟାଣମୟୀ ମା’ ଜଗତର ଅଶେଷ କଲ୍ୟାଣ ନିମନ୍ତେ ଧରାବତରିତ ହେବା ଶାସ୍ତ୍ରସିଦ୍ଧ  । ‘ଶ୍ରୀଶ୍ରୀଚଣ୍ଡୀ ବା ଦୁର୍ଗାସପ୍ତଶତୀ’ ଉକ୍ତ ଶାସ୍ତ୍ର ମଧ୍ୟରୁ ଅନ୍ୟତମ  । ଏଥିରେ ଦେବୀଙ୍କର ମାହାତ୍ମ୍ୟ ପ୍ରକୀର୍ତ୍ତିତ ହୋଇଛି  । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଏହି ଅଂଶ ଶ୍ଳୋକ, ଅର୍ଦ୍ଧଶ୍ଳୋକ ଓ ଉବାଚ ସମେତ ସାତଶହ ମନ୍ତ୍ରବିଶିଷ୍ଟ ଅଟେ । ସାଧକ ଅନେକ କ୍ଷେତ୍ରରେ ଏହାର ଉପଯୋଗକରି ବିଶେଷ ଲାଭାନ୍ବିତ ହୋଇଥିବାର ପ୍ରମାଣ ରହିଛି  । ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାୟିନୀ ମା’ ଦୁର୍ଗା ଅନେକରୂପରେ ପ୍ରବିଦିତା  । ତହିଁରୁ ମହାଲକ୍ଷ୍ମୀ-ମହାକାଳୀ-ମହାସରସ୍ୱତୀ ବିଶେଷଭାବେ ପ୍ରସିଦ୍ଧ । ଦେବୀମାନଙ୍କର ଉପାସନା ଅନେକ ପ୍ରକାରେ କରାଯାଉଥିଲେ ହେଁ ସମ୍ପୁଟିତ ଓ ବିଧିବତ୍ ଆରାଧନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଭଳି ପାରାୟଣ କରୁଥିବା ବ୍ୟକ୍ତି ନିଶ୍ଚିତଭାବେ ସିଦ୍ଧିଯୋଗ୍ୟହୋଇଥାଆନ୍ତି  । ଏହାଭିନ୍ନ ଦେବୀ ଆବିର୍ଭାବର ସ୍ୱତନ୍ତ୍ର ତିଥି ମଧ୍ୟ ରହିଛି, ଯେଉଁଥିରେ ସାଧକ ବିଶେଷ ଉପଚାର ସହ ପୂଜାର୍ଚ୍ଚନା କରିଥାଏ  । ଏସବୁ କ୍ରିୟାକାଳରେ ମନ୍ତ୍ର-ତନ୍ତ୍ର ଓ ଯନ୍ତ୍ରର ପ୍ରୟୋଗକୁ ନେଇ ଅନେକ ପ୍ରକାର ଶଙ୍କା ତା’ମନରେ ଉଙ୍କିମାରେ ଏବଂ ଅବଗତି ନ ହୋଇ ଲୀନ ହୋଇଯାଏ  । ଯେଉଁମାନେ ଏହା ଉପରେ ବିଶେଷ ତର୍ଜମା ଏବଂ ସାଧନା କରି ଲାଭାନ୍ବିତ ହୁଅନ୍ତି, ସେମାନେ କେବଳ ଜଗତକୁ ଉପଯୁକ୍ତ ଆଲୋକ ପ୍ରଦର୍ଶନ କରିବାପାଇଁ ସକ୍ଷମ ବୋଲାଇଥାଆନ୍ତି  । ଏଭଳି ମହାନୁଭବୀ ମହାତ୍ମାଙ୍କ ମଧ୍ୟରେ ଅନ୍ୟତମ ବ୍ରହ୍ମର୍ଷି ଶ୍ରୀଶ୍ରୀସତ୍ୟଦେବ  । ବଙ୍ଗଳାଭାଷୀ ଏହି ସିଦ୍ଧସାଧକଙ୍କର ଅନନ୍ୟ କୃତି ହେଉଛି—ସାଧନ ସମର । ଏହାକୁ ଦେବୀମାହାତ୍ମ୍ୟର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବରେ ଗ୍ରହଣ କରାଯାଏ  । ଏହା ଏତେଦୂର ପ୍ରାମାଣିକ ଯେ, ଶତାଧିକ ବର୍ଷ ହେଲା ଏହାର ବିଭିନ୍ନ ସଂସ୍କରଣ ପ୍ରକାଶିତ ହୋଇପାରିଛି  । ବଙ୍ଗଭାଷା ଛଡ଼ା ଦେବନାଗରୀ ଭାଷାରେ ମଧ୍ୟ ଏହା ପ୍ରକାଶିତ ହୋଇଛି  । ଉପାଦେୟତାକୁ ଲକ୍ଷ୍ୟକଲେ ଉତ୍କଳୀୟଙ୍କ ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରିବ, ତେଣୁ ଆମ ପ୍ରକାଶନ ତରଫରୁ ଅନୁବାଦିକାଙ୍କର ପ୍ରଚେଷ୍ଟା ତଥା ଗ୍ରନ୍ଥର ବାସ୍ତବତାକୁ ସମ୍ମାନ ଦେଇ ଓଡ଼ିଆ ପାଠକଙ୍କ ପାଇଁ ତିନିଭାଗରେ ଏହା ପ୍ରକାଶ କରାଯାଇଛି  । ଗ୍ରନ୍ଥତ୍ରୟ ପାଠକଙ୍କର ଦେବୀମାହାତ୍ମ୍ୟ ଅନ୍ତର୍ଗତ ଅବାନ୍ତର ଶଙ୍କାକୁ ଉନ୍ମୋଚନକରି ଆଧ୍ୟାତ୍ମିକ ବିକାଶରେ ସହାୟକ ହେଲେ ଶ୍ରମ ସାର୍ଥକ ହେବ  ।

Leave a Reply

Quick Navigation
×
×

Cart

Buy for 699.00 more and get free shipping