Loading...

ବୌଦ୍ଧିକ ଭୋଜନ

ଲେଖକ : ଦାଦା ଜେ. ପି. ବାସୱାନୀ
ଅନୁବାଦ : ବ୍ରଜ କୁମାର ଶତପଥୀ
ପ୍ରକାଶକ : ଈଶା (ଓମ୍ ଫାଉଣ୍ଡେସନ, ପୁରୀ)
ପୃଷ୍ଠା ସଂଖ୍ୟା : ୫୯୨, ମୂଲ୍ୟ : ଟ ୩୬୫ /-

ତିନିଶହ ପଞ୍ଚଷଠି ଗୋଟି ନିତ୍ୟ ପଠନଯୋଗ୍ୟ ଆତ୍ମପୋଷଣକାରୀ ଗଳ୍ପର ଏକ ଦୁର୍ଲ୍ଲଭ ସଂକଳନ ‘‘ବୌଦ୍ଧିକ ଭୋଜନ’’, ବାସ୍ତବରେ ପ୍ରତ୍ୟେକଙ୍କର ‘‘ଶରୀର ପାଇଁ ଖାଦ୍ୟ ପରି, ଅନ୍ତଃଚେତନା ପାଇଁ ଅତି ଆବଶ୍ୟକ ପୁଷ୍ଟିକର ସୁଖପାଠ୍ୟ ଖାଦ୍ୟରେ ପରିପୂର୍ଣ୍ଣ । ପୁସ୍ତକଟିର ଲେଖକ ଦାଦା ଜେ. ପି. ବାସୱାନୀ ପୁଣେ ଠାରେ ସ୍ଥିତ ‘‘ସାଧୁ ବାସୱାନୀ ମିଶନର ଆଧ୍ୟାତ୍ମିକ ପ୍ରମୁଖ ଥିଲେ ଏବଂ ୯୯ବର୍ଷ ୧୧ମାସ ବୟସରେ ଶରୀର ତ୍ୟାଗ କରିଥିଲେ । ପ୍ରାୟ ୧୫୦ ଆଧ୍ୟାତ୍ମିକ ଏବଂ ଆେତ୍ମାନ୍ନତି ପୁସ୍ତକର ରଚୟିତା ଦାଦାଜୀଙ୍କର ସରଳ, ନିଷ୍କପଟ, ସଦା ଶିଶୁ ସୁଲଭ ହସରେ ଶୋଭିତ ମୁଖକୁ ଦର୍ଶନ କଲେ ସବୁରି ହୃଦୟ ପୂରିଉଠେ । ତାଙ୍କର ଜନ୍ମ ୧୯୧୮ ମସିହା ଅଗଷ୍ଟ ୨ ତାରିଖରେ ତତ୍କାଳିନ ସିନ୍ଧ୍ (ହାଇଦ୍ରାବାଦ-ପାକିସ୍ଥାନ)ଠାରେ ହୋଇଥିଲା ।
ସାଧୁ ବାସୱାନୀ ମିଶନ ଯଦିଓ ସାରା ବିଶ୍ୱରେ ପରିଚିିତ ତଥାପି ଓଡିଶାରେ ଏହି ମିଶନକୁ କମ୍ ଲୋକ ଜାଣନ୍ତି । ସାଧୁ ଟି. ଏଲ୍. ବାସୱାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମିଶନର ବିଶେଷ ବିଚାର ହେଲା— ମନୁଷ୍ୟ, ପକ୍ଷୀ, ପଶୁ, ସଜୀବ ଏବଂ ନିର୍ଜୀବ ସକଳ ପଦାର୍ଥରେ ଗୋଟିଏ ମାତ୍ର ଜୀବନସ୍ରୋତ ପ୍ରବାହିତ । ମିଶନ ବିଶ୍ୱାସ କରେ ଯେ ଜୀବନକୁ ଏକ ଆଧ୍ୟାତ୍ମିକ ମୋଡ ଦେବା ଉଚିତ । ଏଥିପାଇଁ ମିଶନ ସମୂହ କୀର୍ତ୍ତନ, ପ୍ରାର୍ଥନା ଏବଂ ଧ୍ୟାନର ଅଭ୍ୟାସ ସହ ଅନ୍ୟ ପାଇଁ ବଞ୍ଚିବାର ମଧ୍ୟ ପ୍ରଚେଷ୍ଟା କରିଥାଏ । ଅନ୍ୟମାନେ ଆମ ନିଜ ଠାରୁ ଅଲଗା ନୁହଁନ୍ତି । ଆମେ ସମସ୍ତେ ଗୋଟିଏ ସମଗ୍ରତାର ଅଂଶ ମାତ୍ର ।
ବର୍ତ୍ତମାନ ଆମେ ‘‘ବୌଦ୍ଧିକ ଭୋଜନ’’ ପୁସ୍ତକ ବିଷୟରେ ଆଲୋଚନା କରିବା । ପୁସ୍ତକଟି ତାର ନାମକୁ ସାର୍ଥକ କରି ବର୍ଷର ୩୬୫ଦିବସ ପାଇଁ ଗୋଟିଏ ଗୋଟିଏ ପ୍ରେରଣାଦାୟୀ କ୍ଷୁଦ୍ର ଗଳ୍ପର ଅବତାରଣା କରିଛି । ବହିଟି ଏତେ ସାବଲୀଳ ଓ ସୁଖପାଠ୍ୟଯେ ହାତରେ ପଡିଲା ମାତ୍ରେ ଶେଷ କରିଦେବାକୁ ମନ ଚାହିଁବ । ମାତ୍ର ବାସ୍ତବରେ ଏହାର ଗୋଟିଏ ଗୋଟିଏ ଗଳ୍ପ ପ୍ରତିଦିନ ପାଠ କରି ମନନ ଚିନ୍ତନ ପରେ ସେହି ସତ୍ୟରେ ଦିନଟି ବିତାଇପାରିଲେ ଆମ ଜୀବନ ଧନ୍ୟ ହୋଇଯିବ । ପଢି ସାରି ବହିଥାକରେ ରଖିଦେବା ଭଳି ଗ୍ରନ୍ଥ ଏହା ନୁହେଁ । ବରଂ ନିତ୍ୟ ସହଚର ଓ ପଥ ପ୍ରଦର୍ଶକ ଭାବରେ ଏହା ଆମକୁ ନିଶ୍ଚୟ ସାଥୀଦେବ । ନିତି ଦିନିଆ ଜୀବନରେ ଯେବେ ନିରାଶ ଦେଖାଦେବ କିମ୍ବା ଦ୍ୱନ୍ଦ୍ୱ ମଧ୍ୟରେ ଚଉଛକିରେ ଠିଆହୋଇ ଆମେ ଦିଗ ଖୋଜିବାକୁ ଚେଷ୍ଟା କରିବା, ସେତେବେଳେ ଅବଶ୍ୟ ଏହା ଆମର ଅତ୍ୟନ୍ତ ଶୁଭାକାଂକ୍ଷୀ ବନ୍ଧୁର ଙୂମିକା ନିର୍ବାହ କରିବ ।
ସମସ୍ତ ଗଳ୍ପ ଗୁଡିକର ସାର ହେଲା, ମଣିଷ ଭିତରେ ସୁପ୍ତ ଥିବା ମାନବୀୟ ଗୁଣ ଗୁଡିକର ଜାଗରଣ ଓ ବିକାଶ । ପୁସ୍ତକର ଅଗ୍ରଲେଖାରେ ବିଶିଷ୍ଟ ମନୋବିଜ୍ଞାନୀ ପ୍ରୋ. ଫକିର ମୋହନ ସାହୁ କୁହନ୍ତି— ଦାଦା ଜେ. ପି. ବାସୱାନୀଙ୍କ ସାରସ୍ୱତ ଓ ଆଧ୍ୟାତ୍ମିକ ସମ୍ଭାରର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି, ଏହାର କାଳଜୟୀ ମୂଲ୍ୟ ।’’ ବାସ୍ତବରେ ଏହି ପୁସ୍ତକଟି ପାଠ କଲେ ଏହି କଥାଟିର ସତ୍ୟତା ଆମେ ଅନୁଭବ କରିପାରିବା ।
ପୁସ୍ତକର ଚରିତ୍ର ଗୁଡିକ ଅତି ସାଧାରଣ କୃଷକଠାରୁ ଆରମ୍ଭକରି ଆମେରିକାର ରାଷ୍ଟ୍ରପତି ପର୍ଯ୍ୟନ୍ତ, ପୌରାଣିକ ଓ ଐତିହାସିକ ଚରିତ୍ରମାନଙ୍କଠାରୁ ଆରମ୍ଭକରି ଆଧୁନିକ ବୈଜ୍ଞାନିକ ପର୍ଯ୍ୟନ୍ତ ପୁଣି ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିୟାନ ସର୍ବଧର୍ମରୁ ଆନିତ ଆଖ୍ୟାୟିକା ମାନଙ୍କର ଅବତାରଣା ଦ୍ୱାରା ସମୃଦ୍ଧ । ପ୍ରତ୍ୟେକ ଗଳ୍ପର ପଠନ ସମୟରେ ମନେହୁଏ, ଯେପରି ଗଳ୍ପର ଚରିତ୍ର ପାଠକଙ୍କର ନିଜର ଚରିତ୍ରର ଉପସ୍ଥାପନା ମାତ୍ର । ଦାଦା ବାସୱାନୀ କେତେ ସରଳ ଭାବରେ ଆମ ସମସ୍ତଙ୍କର ଜୀବନରେ ଏକ ଆମୂଳଚୂଳ ପରିବର୍ତ୍ତନ ଆଣି ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଛନ୍ତି, ଏହା ଏହି ପୁସ୍ତକଟି ପାଠକଲେ ଆମେ ସହଜରେ ବୁଝିପାରିବା ।
ଶେଷରେ ପୁସ୍ତକଟିର ସାବଲୀଳ ଓ ସୁଖପାଠ୍ୟ ନିର୍ଭୁଲ ଅନୁବାଦ ପାଇଁ ଆମେମାନେ ନିଶ୍ଚୟ ଅନୁବାଦକ ଶ୍ରୀଯୁକ୍ତ ବ୍ରଜ କୁମାର ଶତପଥୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରିବା । ଶ୍ରୀଯୁକ୍ତ ଶତପଥୀ ଜଣେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ । ସରଳ, ନିଷ୍ଠାପର ଏବଂ ବହୁ ଆଧ୍ୟାତ୍ମିକ ଅନୁଷ୍ଠାନ ସହିତ ଜଡିତ ରହି ସେ ନିରଳସ ଜନସେବା କରି ଚାଲିଛନ୍ତି । ଦାଦା ଜେ. ପି. ବାସୱାନୀଙ୍କର ଅନେକ ପୁସ୍ତକ ସେ ନିଜ ଖର୍ଚ୍ଚରେ ପ୍ରକାଶନ କରି ବିତରଣ କରି ଚାଲିଛନ୍ତି । ‘‘ଅନୁବାଦ’’ ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର ମାତ୍ର ଶ୍ରୀଯୁକ୍ତ ଶତପଥୀଙ୍କର ଅନୁବାଦ ପାଠ କଲେ ସେସବୁ ନିଜର ଅନ୍ତରର ଭାଷା ପରି ବୋଧ ହୋଇଥାଏ । ଦାଦା ବାସୱାନୀଙ୍କର ରଚନାଗୁଡିକୁ ଜୀବନ୍ତ ଭାବରେ ଉତ୍କଳବାସୀଙ୍କୁ ସମର୍ପଣ କରିଥିବାରୁ ଆମେମାନେ ଆଉ ଥରେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

ସମୀକ୍ଷକ : ପ୍ରୋ. (ଡା.) ଅଜୟ କୁମାର ମିଶ୍ର

Leave a Reply

Quick Navigation
×
×

Cart

Buy for 699.00 more and get free shipping