ସମ୍ପାଦକୀୟ ….
ଧ୍ୟାନମୂଳଂ ଗୁରୋର୍ମୂର୍ତ୍ତି ପୂଜାମୂଳଂ ଗୁରୋଃ ପଦମ୍ ।
ମନ୍ତ୍ରମୂଳଂ ଗୁରୋର୍ବାକ୍ୟଂ ମୋକ୍ଷମୂଳଂ ଗୁରୋଃ କୃପା ॥ (ଗୁରୁଗୀତା-୫୦
ଅର୍ଥାତ୍ ଧ୍ୟାନର ମୂଳ ଗୁରୁମୂର୍ତ୍ତି, ପୂଜାର ମୂଳ ଗୁରୁପଦ, ମନ୍ତ୍ରର ମୂଳ ଗୁରୁବାକ୍ୟ, ମୋକ୍ଷର ମୂଳ ଗୁରୁକୃପା ।
ତେଣୁ ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କର ଆବଶ୍ୟକତା ସର୍ବୋପରି । କାରଣ ଆଧ୍ୟାତ୍ମିକ ପଥ ବହୁ ପ୍ରତିବନ୍ଧକରେ ପରିପୂର୍ଣ୍ଣ । ଗୁରୁ ନିରାପଦରେ ସାଧକଙ୍କୁ ପରିଚାଳିତ କରନ୍ତି ଏବଂ ସମସ୍ତ ପ୍ରକାର ପ୍ରତିବନ୍ଧକ ତଥା କଷ୍ଟ ନିବାରଣ କରିଥାନ୍ତି । ଗୁରୁ, ଈଶ୍ୱର, ବ୍ରହ୍ମ, ସତ୍ୟ ସବୁକିଛି ଏକ ଅଟନ୍ତି । ପ୍ରଗାଢ଼ ଭକ୍ତି ସହକାରେ ଗୁରୁଙ୍କର ସେବା କରିଚାଲ । ସାଧ୍ୟମତେ ତାଙ୍କୁ ସମସ୍ତ ପ୍ରକାରେ ସନ୍ତୁଷ୍ଟ କର । ଆତ୍ମା ପରି ମନକୁ ଗୁରୁଙ୍କ ଠାରେ ଯୁକ୍ତକରି ରଖ । ନିର୍ବିଚାରରେ ଗୁରୁଙ୍କୁ ମାନ । ତାଙ୍କର ବଚନ ସମୂହ ତୁମ ପକ୍ଷେ ଆପ୍ତବାକ୍ୟ ସଦୃଶ୍ୟ ମନେ କରିପାରିଲେ ଯାଇ ତୁମେ ଅଗ୍ରଗତି କରିବ । ତୁମେ ତାଙ୍କର କୃପା ଲାଭ କରିପାରିବ । ଏହା ବ୍ୟତିତ ଅନ୍ୟ କୌଣସି ପନ୍ଥା ନାହିଁ ।
ଈଶ୍ୱର ଜ୍ଞାନରେ ଗୁରୁଙ୍କୁ ପୂଜା କରିବାକୁ ହେବ । ତାଙ୍କ ପାଖରେ ଈଶ୍ୱର ଏବଂ ବ୍ରହ୍ମଙ୍କର ସମଗ୍ର ଗୁଣ ଆରୋପିତ କରିବାକୁ ପଡ଼ିବ । ତାଙ୍କୁ ଭଗବାନଙ୍କର ପ୍ରକୃତ ଅବତାର ଭାବରେ ଗ୍ରହଣ କରିବାକୁ ହେବ । ଗୁରୁଙ୍କ ଦୁର୍ଗୁଣ ପ୍ରତି ଦୃଷ୍ଟିପାତ ନ କରି କେବଳ ତାଙ୍କ ଠାରେ ଦିବ୍ୟତ୍ୱ ଅବଲୋକନ କରିବା ଉଚିତ, ତେବେ ଯାଇ ଗୁରୁଙ୍କ ଭିତରେ ଏବଂ ଗୁରୁଙ୍କ ମାଧ୍ୟମରେ ବ୍ରହ୍ମୋପଲବ୍ଧି କରିହେବ ।
ଗୁରୁଙ୍କର ସାନ୍ନିଧ୍ୟ ବ୍ୟତିରେକ ଅସଦ୍ ଗୁଣ ପରିପୂର୍ଣ୍ଣ ପାର୍ଥିବ ସଂସ୍କାର ଗୁଡ଼ିକର ଏବଂ ମୋହଗ୍ରସ୍ତ ସାଂସାରିକ ବ୍ୟକ୍ତିଙ୍କର ପରିତ୍ରାଣ ନାହିଁ । ସାଧକ ଯେତିକି ପ୍ରଗାଢ଼ ଭକ୍ତି ସହକାରେ ଗୁରୁଙ୍କର ସେବାରେ ନିଯୁକ୍ତ ରହେ, ସେତିକି ଶୀଘ୍ର ତାହାର ହୃଦୟ ପବିତ୍ର ହୋଇଉଠିବ । ଏହା ଆତ୍ମଶୁଦ୍ଧିର ସହଜ ଏବଂ ନିଶ୍ଚିତ ପନ୍ଥା ଅଟେ ।
ଅତଃ ମୋକ୍ଷାଭିଳାଷୀ ଜୀବ ଗୁରୁଙ୍କର ବାକ୍ୟକୁ ବେଦ ବାକ୍ୟ ମନେକରି ସାଧନାରେ ଲାଗିଯିବା ବାଞ୍ଛନୀୟ । ଗୁରୁ ସର୍ବଦା ତୁମପାଇଁ ଉପକାର ନିମନ୍ତେ ଯେଉଁ ସମସ୍ତ ଆଶ୍ୱାସ ବାଣୀ ପ୍ରଦାନ କରନ୍ତି ସେଗୁଡିକ ମନେରଖି କାର୍ଯ୍ୟରେ ରୂପାନ୍ତର କରିବା ସବୁଠାରୁ ବଡ ସମସ୍ୟା । କାରଣ ସବୁ ପ୍ରକାର ସାଧକ ସମସ୍ତ ବାକ୍ୟକୁ ମୂଖସ୍ତ କରିବା ଏବଂ ବାସ୍ତବ କ୍ଷେତ୍ରରେ ରୂପାନ୍ତରୀତ କରିବା ସହଜ ସାଧ୍ୟ ନୁହେଁ । ଗୁରୁଦେବ କୃପାକରି ଯେେତବେଳେ ଯାହାସବୁ ଉପଦେଶ ଦିଅନ୍ତି ସେଗୁଡିକୁ ଅନ୍ତର୍ମନରେ ଲିପିବଧ କରିନେବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନ ଥାଏ । ତାଙ୍କ ଆଶୀର୍ବଚନ ଗୁଡିକ ସମ୍ମୁଖରେ ବେଶ୍ ହୃଦୟସ୍ପର୍ଶୀ ମନେହେଲ ବି ପରବର୍ତ୍ତୀ କାଳରେ ସ୍ମରଣ କରାଯାଇପାରେ ନାହିଁ କି ଯେତିକି ସ୍ମରଣ ରହେ ତାହା ବି ପର୍ଯ୍ୟାପ୍ତ ହୁଏ ନାହିଁ । ତେଣୁ ସାଧକକୁ ସବୁବେଳେ ଗୁରୁବାକ୍ୟ ସହିତ ଯୋଡିହୋଇ ରହିବା ପାଇଁ ଉପଦେଶ ପରକ ପୁସ୍ତକଟିଏ ଦରକାର ହୁଏ । ସେଭଳି ଏକ ପୁସ୍ତକ ହେଉଛି ‘‘ସାଧକଙ୍କୁ ଉପଦେଶ’’ । ଏଥିରେ କଣ୍ଠାହାର ସଦୃଶ ୧୦୮ ଗୋଟି ଉପଦେଶକୁ ପ୍ରକାଶ କରାଯାଉଛି, ଯାହା ସବୁଶ୍ରେଣୀର ସାଧକ ସେ ନବାଗତ ହୁଅନ୍ତୁ କି ପୁରାତନ ସମସ୍ତଙ୍କ ପାଇଁ ନିଶ୍ଚିତ ଉପାଦେୟ ହେବ । ଏଭଳି ଅନେକ ଉପଦେଶ ଆମେ ଆଗରୁ ପଢିଥାଇ ପାରୁ ମାତ୍ର ଏକତ୍ର ଗୋଟିଏ ସ୍ଥାନରେ ପୁଣି ବିନା ମୂଲ୍ୟରେ ଲବ୍ଧହେବା ଗୁରୁ କୃପା ନୁହେଁ ତ ଆଉ କଣ ?
— ସମ୍ପାଦକ








Reviews
There are no reviews yet.