Loading...
Sale!

PANCHAPABANI

Original price was: ₹299.00.Current price is: ₹245.00.

Also Available at:

179 in stock

Description

ପ୍ରାଧ୍ୟାପିକା ଡଃ. ଜୟଶ୍ରୀ ନନ୍ଦ ମହୋଦୟାଙ୍କ ଦ୍ୱାରା ଲିଖିତ ପଞ୍ଚପାବନୀ ଗ୍ରନ୍ଥଟି ଲୋକାର୍ପିତ ହେବା ଏକ ଆନନ୍ଦୋଲ୍ଲାସର ସନ୍ଦେଶ ଅଟେ । ଏଥି ପୂର୍ବରୁ ଏହାର ପାଣ୍ଡୁଲିପି ସଂସ୍ପର୍ଶରେ ଆସିବା ମୋର ସୁଯୋଗ ହୋଇଥିଲା । ମୁଁ ସେତେବେଳେ ସଦ୍‌ଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ପରମହଂସଦେବଙ୍କ ଦ୍ୱାରା ପ୍ରବର୍ତ୍ତିତ ଓ ସାରସ୍ୱତ ମଠରୁ ପ୍ରକାଶିତ “ଆର୍ଯ୍ୟ-ଦର୍ପଣ’’ ପତ୍ରିକାର ପ୍ରକାଶନ ଦାୟିତ୍ୱରେ ଥିଲି, ପରେ ସହ-ସମ୍ପାଦକ ରୂପରେ ମଧ୍ୟ କାମ କରୁଥିଲି । ମୁଁ ଜୟଶ୍ରୀ ମାଆଙ୍କୁ ପତ୍ରିକା ପାଇଁ ଲେଖା ଦେବାକୁ ଅନୁରୋଧ କରିବା ପରେ ସେ ଏହି ଧାରାବାହିକ ଲେଖାଟି ଆରମ୍ଭ କରିଥିଲେ ।
ଏହା ବଙ୍ଗାବ୍ଦ ୧୪୨୨ ଫାଲ୍‌ଗୁନ ମାସରେ ଆରମ୍ଭ ହୋଇ ବଙ୍ଗାବ୍ଦ ୧୪୨୬ ଚୈତ୍ର ମାସରେ ଶେଷ ହୋଇଥିଲା । ଏହି ଧାରାବାହିକଟି ୫୦ ମାସରେ ୪୫ଟି ନିବନ୍ଧରେ ସମ୍ପୂର୍ଣ୍ଣ ରୂପରେ ପ୍ରକାଶିତ ହୋଇଥିଲା । ଅନ୍ତିମରେ ମୁଁ ଏହାକୁ ଏକ ଗ୍ରନ୍ଥାକାରରେ ପ୍ରକାଶିତ କରିବା ପାଇଁ ପ୍ରସ୍ତାବ ଦେଇଥିଲି । ମୁଁ ଅନୁଷ୍ଠାନରେ ଥିଲେ ହୁଏତ ଆମେ ହିଁ ପ୍ରକାଶ କରିଥାନ୍ତୁ । ପରନ୍ତୁ ତାହା ଆଉ ସମ୍ଭବ ହୋଇ ପାରିଲା ନାହିଁ । ଯାହା ହେଉ ଯେଉଁଠୁ ପ୍ରକାଶିତ ହେଲେ ମଧ୍ୟ ପଞ୍ଚପାବନୀ ଗ୍ରନ୍ଥଟି ପ୍ରକାଶିତ ହେଉଅଛି ଜାଣି ପ୍ରଭୂତ ଆନନ୍ଦାନୁଭବ କରୁଅଛି ।
ଏଥିରେ ପାଞ୍ଚ ଜଣ ପବିତ୍ରାତ୍ମା ମହିୟସୀ ପ୍ରାତଃସ୍ମରଣୀୟା ପୁରାଣପ୍ରସିଦ୍ଧା ମାଆଙ୍କ ଦିବ୍ୟ ଜୀବନଚରିତ ଆଲୋଚିତ ହୋଇଅଛି । ସେମାନେ ହେଲେ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ଏବଂ ମନ୍ଦୋଦରୀ । ଯେଉଁମାନଙ୍କ ନାମ ସ୍ମରଣ କଲେ ହିଁ ସର୍ବ ପାପରୁ ବିମୁକ୍ତି ମିଳିଥାଏ । ଏ ବିଷୟରେ ପ୍ରସିଦ୍ଧ ଆପ୍ତବାକ୍ୟ ଯଥା,
ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ ତଥା ।
ପଞ୍ଚକନ୍ୟାଃ ସ୍ମରେନ୍ନିତ୍ୟଂ ମହାପାତକନାଶନମ୍‌ ।ା
ଏହା ଯେ କେବଳ ଏମାନଙ୍କ ଆକ୍ଷରିକ ଜୀବନାଲେଖ୍ୟ ତାହା ନୁହେଁ, ଏଥିରେ ସ୍ଥାନୀତ ହୋଇଛି ପ୍ରତ୍ୟେଙ୍କ ଦୈବୀଶକ୍ତିର ପରିଚୟ, ବାଲ୍ୟ ଜୀବନ, ଆଶ୍ରମିକ ଜୀବନ, ବିଦ୍ୟାର୍ଥୀ ଜୀବନ, ସାଂସାରିକ ଦାମ୍ପତ୍ୟ ଜୀବନ, ସାଧନଜୀବନ ଓ ଅନ୍ତିମରେ ଈଶ୍ୱରସାକ୍ଷାତ୍‌କାର ବା ଭଗବଦ୍ଦର୍ଶନ ପ୍ରଭୃତି । ଯାହା ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥୀ ଓ ସନ୍ନ୍ୟାସୀ-ପ୍ରଭୃତି ଚତୁରାଶ୍ରମୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ରୂପରେ ପରିଗଣିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ଅହଲ୍ୟାଙ୍କ ଶାପଦଗ୍ଧ ଜୀବନ, ଦ୍ରୌପଦୀଙ୍କ ତାପଦଗ୍ଧ ଜୀବନ, ତାରାଙ୍କ ସଙ୍କଟାପନ୍ନ ଜୀବନ, କୁନ୍ତୀଙ୍କ ଦୁଃଖବହୁଳ ଜୀବନ ଓ ମନ୍ଦୋଦରୀଙ୍କ ପ୍ରାତିକୂଲ୍ୟ ଜୀବନ ସମସ୍ତ ମନବସମାଜ ପ୍ରତି ଅଗଣିତ ସନ୍ଦେଶର ବାହକ ଅଟେ । ଦାମ୍ପତ୍ୟ ଜୀବନର ଅସରନ୍ତି ବିପତ୍ତି, ଅସଂଖ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ କେମିତି ସ୍ୱଧର୍ମରେ-ସ୍ୱକର୍ତ୍ତବ୍ୟରେ ଅବିଚଳିତ ରହି ହୁଏ, ତାହା ପ୍ରତ୍ୟେକଙ୍କ ଦାମ୍ପତ୍ୟ ଜୀବନରେ ଅନୁଧାବନୀୟ ।
‘ସମ୍ପଦଃ ନୈବ ସମ୍ପଦଃ ବିପଦଃ ନୈବ ବିପଦଃ ।
ବିପଦ୍‌ ବିସ୍ମରଣଂ ବିଷ୍ଣୁଃ ସମ୍ପଦ୍‌ ନାରାୟଣସ୍ମୃତିଃ ।।’
ଏହି ଆପ୍ତବାକ୍ୟର ପ୍ରତିଫଳନ ଘଟଛି ପ୍ରତ୍ୟେକଙ୍କ ଜୀବନର ପ୍ରତି ଛତ୍ରେ ଛତ୍ରେ । ନିରନ୍ତର ଈଶ୍ୱରସ୍ମୃତି ହିଁ ପଞ୍ଚକନ୍ୟାଙ୍କ ଜୀବନର ସୁମହାନ ବୈଶିଷ୍ଟ୍ୟ । ଅଖିଳ ଐଶ୍ୱର୍ଯ୍ୟର ଅଧିକାର ଯେମିତି ସେମାନଙ୍କୁ ପରମେଶ୍ୱରଙ୍କ ଠାରୁ ପୃଥକ୍‌ କରିବାରେ ସମର୍ଥ ହୋଇ ନାହିଁ, ଆଶ୍ରମିକ ପର୍ଣ୍ଣକୁଟୀରର ଆଶ୍ରୟ-ବନବାସର ଦୁଃଖ-ଦୁର୍ଦ୍ଦଶା ମଧ୍ୟ ଶ୍ରୀହରିଙ୍କ ଅକାତର ଦୟା ପ୍ରତି ଲେଶମାତ୍ର ସଂଶୟ ସୃଷ୍ଟି କରିବାରେ ବିଫଳ ହୋଇଅଛି ।
ଏହିଭଳି ବିଚାର କଲେ, ଗ୍ରନ୍ଥଟି ସର୍ବଶ୍ରେଣୀର ଜନଗଣଙ୍କ ପ୍ରେରଣାର ଉତ୍ସ, ଜୀବନପଥର ପଥପ୍ରଦର୍ଶକ, କର୍ତ୍ତବ୍ୟସଚେତନନତାର ବଳିଷ୍ଠ ପ୍ରମାଣ, ଆଧ୍ୟାତ୍ମିକତାର ଉଦ୍‌ବୋଧକ ରୂପରେ ଯେ ବିବେଚିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।
ଅନ୍ତିମରେ ଶ୍ରୀଗୁରୁଭଗବାନ୍‌ ଠାକୁର ନିଗମାନନ୍ଦଙ୍କ ଶ୍ରୀଚରଣରେ ଏବଂ ଜଗତ୍‌ପତି ଜଗନ୍ନାଥଙ୍କ ଶ୍ରୀପାଦପଦ୍ମରେ ଗ୍ରନ୍ଥଟିର ସବହୁଳ ପ୍ରଚାର କାମନା କରିବା ସଙ୍ଗେ ସଙ୍ଗେ ଲେଖିକାଙ୍କର ସାର୍ବିକ କଲ୍ୟାଣ ମଧ୍ୟ କାମନା କରୁଅଛି । ଯେମିତି ସେ ଆହୁରି ଅଧିକରୁ ଅଧିକ ଅମ୍ଳାନ ସାରସ୍ୱତ କୀର୍ତ୍ତିର ଜନନୀ ରୂପରେ ନିଜକୁ ଜନସମାଜରେ ପରିଚୟ ଦେବାରେ ସକ୍ଷମା ହୋଇପାରନ୍ତି ।
॥ ଜୟଗୁରୁ ॥
ଇତି
ଶ୍ରୀଗୁରୁଚରଣାଶ୍ରିତ
ସ୍ୱାମୀ ଶଙ୍କରାନନ୍ଦ ସରସ୍ୱତୀ

Additional information

Weight .345 g
Dimensions 22 × 14 × 3 cm

You may also like…

Quick Navigation
×
×

Cart

Buy for 699.00 more and get free shipping