ସହସ୍ରନାମ ପାଠାନ୍ତେ ନାମାବଳୀ ଜପ/ଅର୍ଚ୍ଚନର ମହତ୍ତ୍ୱ
ପ୍ରଥମେ, ଆମେ ବୁଝିବା ଦରକାର ଯେ ସହସ୍ରନାମ ପାଠ କଣ ଏବଂ ନାମାବଳୀ କଣ । ହିନ୍ଦୁ ଧର୍ମରେ, ସହସ୍ରନାମ ହେଉଛି ଈଶ୍ୱରଙ୍କର ହଜାର ନାମର ଏକ ସ୍ତୋତ୍ର ବା କବିତାମୟ ରଚନା, ଯାହା ସାଧାରଣତଃ ପାରାୟଣ (ପଠନ) କରାଯାଏ । ଉଦାହରଣ ସ୍ୱରୂପ, ଶ୍ରୀବିଷ୍ଣୁ ସହସ୍ରନାମ ବା ଲଳିତା ସହସ୍ରନାମ । ଏଥିରେ ନାମଗୁଡ଼ିକୁ କୌଣସି ଉପସର୍ଗ ବିନା ଏକତ୍ର ପଠନ କରାଯାଏ ।
ଅନ୍ୟପକ୍ଷରେ, ନାମାବଳୀ ହେଉଛି ନାମଗୁଡ଼ିକର ଏକ ଶ୍ରେଣୀ ବା ଆବଳୀ, ଯେଉଁଥିରେ ପ୍ରତ୍ୟେକ ନାମକୁ ‘ଓମ୍’ ଉପସର୍ଗ ଏବଂ ‘ନମଃ’ ଉପସର୍ଗରେ ଜପ କରାଯାଏ, ଯେପରିକି ‘ଓମ୍ ବିଶ୍ୱାୟ ନମଃ’ । ଏହା ସାଧାରଣତଃ ଅର୍ଚ୍ଚନାରେ ବ୍ୟବହୃତ ହୁଏ, ଯେଉଁଥିରେ ପ୍ରତ୍ୟେକ ନାମ ଜପ ସହିତ ଫୁଲ, ପତ୍ର ବା ଅନ୍ୟାନ୍ୟ ସାମଗ୍ରୀ ଆଦି ଅର୍ଘ୍ୟାର୍ପଣ କରାଯାଏ । ସହସ୍ରନାମାବଳୀ ହେଉଛି ସହସ୍ରନାମ ଗୁଡିକର ନାମାତ୍ମକ ରୂପ, ଯାହା ପୂଜକ ବା ଭକ୍ତମାନେ ଅର୍ଚ୍ଚନା ସମୟରେ ବ୍ୟବହାର କରିଥାନ୍ତି ।
ବର୍ତ୍ତମାନ ପ୍ରଶ୍ନ ଉଠେ କି, ସହସ୍ରନାମ ପାଠ ପରେ ନାମାବଳୀ ଜପ ବା ଅର୍ପଣର କି ମହତ୍ତ୍ୱ ରହିଛି ? ପ୍ରଥମତଃ ଏହା ହିନ୍ଦୁ ପରମ୍ପରାରେ ଏକ ପୂର୍ଣ୍ଣାଙ୍ଗ ପୂଜା ବିଧିର ଅଂଶ ଭାବରେ ଗଣ୍ୟ । ସହସ୍ରନାମ ପାଠ ହେଉଛି ଈଶ୍ୱରଙ୍କର ମହିମା ଗାନ ଏବଂ ଧ୍ୟାନର ଏକ ରୂପ ବା ପ୍ରକାର, ଯାହା ଭକ୍ତକୁ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ । ତଦୁପରାନ୍ତ ନାମାବଳୀ ସହିତ ଜପ ବା ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ପୂଜାକୁ ସମ୍ପୂର୍ଣ୍ଣ କରାଯାଏ ଏବଂ ଭକ୍ତିକୁ ଆହୁରି ଗଭୀର କରାଯାଏ । ସାଧକ ବୋଧାର୍ଥେ ନିମ୍ନରେ ଏହାର ବିଭିନ୍ନ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଗଲା :
୧. ଆଧ୍ୟାତ୍ମିକ ଏବଂ ଭକ୍ତିମୟ ମହତ୍ତ୍ୱ :
ସହସ୍ରନାମ ପାଠ ସମୟରେ ଭକ୍ତ ଈଶ୍ୱରଙ୍କର ବିଭିନ୍ନ ରୂପ ଏବଂ ଗୁଣଗୁଡ଼ିକୁ ଧ୍ୟାନ କରେ । ଏହା ପରେ ନାମାବଳୀ ଜପ ଦ୍ୱାରା ପ୍ରତ୍ୟେକ ନାମକୁ ବ୍ୟକ୍ତିଗତ ଭାବରେ ସମ୍ବୋଧନ କରିଥାଏ, ଯାହା ଭକ୍ତକୁ ଈଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ । ଏହା ଭକ୍ତିର ଭାବନାକୁ ବଢ଼ାଏ ଏବଂ ମନକୁ ଏକାଗ୍ର କରେ । ଉଦାହରଣ ସ୍ୱରୂପ, ଲଳିତା ସହସ୍ରନାମ ମାତୃଭାବନାକୁ ଜାଗ୍ରତ କରେ ଏବଂ ସାର୍ବଜନୀନ ମାତାଙ୍କର ଆଶୀର୍ବାଦ ପ୍ରାପ୍ତିରେ ସାହାଯ୍ୟ କରେ ।
୨. କମ୍ପନ ଏବଂ ଶକ୍ତିଶାଳୀ ପ୍ରଭାବ:
ପ୍ରତ୍ୟେକ ନାମର ଜପ ଏକ ନିର୍ଦ୍ଦିଷ୍ଟ କମ୍ପନ ଉତ୍ପନ୍ନ କରେ, ଯାହା ମାନବୀୟ ଜ୍ଞାନ ଏବଂ ବୁଦ୍ଧି ପାଇଁ ବିଶେଷ ଆବଶ୍ୟକ । ନାମାବଳୀର ଶୃଙ୍ଖଳା ଏହି କମ୍ପନଗୁଡ଼ିକୁ ଏକତ୍ର କରି ଆଧ୍ୟାତ୍ମିକ ଶକ୍ତି ବଢ଼ାଇଥାଏ । ସହସ୍ରନାମ ପାଠ ପରେ ଏହିପରି ଅର୍ଚ୍ଚନା କରିବା ଦ୍ୱାରା ପାଠରୁ ପ୍ରାପ୍ତ ଶକ୍ତିକୁ ସ୍ଥିର କରାଯାଏ ଏବଂ ଭକ୍ତର ଆଭାକୁ ଶୁଦ୍ଧ କରାଯାଏ । ଏହା ଅନ୍ତର୍ନିହିତ କର୍ମକୁ ହ୍ରାସ କରେ ଏବଂ ଶାନ୍ତି ପ୍ରଦାନ କରେ ।
୩. ପୂଜା ବିଧିର ସମ୍ପୂର୍ଣ୍ଣତା ବା ପରିପୂର୍ଣ୍ଣତା :
ହିନ୍ଦୁ ପୂଜାରେ ପାରାୟଣ ଏବଂ ଅର୍ଚ୍ଚନା ଦୁଇଟି ଭିନ୍ନ ମାଧ୍ୟମ । ପାରାୟଣ ହେଉଛି ପଠନ, ଯାହା ଜ୍ଞାନ ଏବଂ ଧ୍ୟାନ ପ୍ରଦାନ କରେ, ହେଲେ ଅର୍ଚ୍ଚନା ହେଉଛି ଅର୍ପଣର ରୂପ, ଯାହାକି ଭୌତିକ କ୍ରିୟା ଦ୍ୱାରା ଭକ୍ତି ପ୍ରକାଶ କରେ । ସହସ୍ରନାମ ପାଠ ପରେ ନାମାବଳୀ ଦ୍ୱାରା ଅର୍ଚ୍ଚନା କରିବା, ପୂଜାକୁ ପୂର୍ଣ୍ଣତା ପ୍ରଦାନ କରେ ଏବଂ ଉପଚାର (ଅର୍ପଣ)ର ଅଂଶକୁ ପୂରଣ କରିଥାଏ । ଏହା ଆରାଧ୍ୟଙ୍କୁ ଫୁଲ ବା ପତ୍ର ଅର୍ପଣ କରି ସମ୍ମାନ ପ୍ରଦାନ କରିବାର ସ୍ୱତନ୍ତ୍ର ପ୍ରଣାଳୀ ।
୪. ଫଳପ୍ରାପ୍ତି ଏବଂ ରକ୍ଷା :
ପ୍ରମାଣ ତଥା ବିଶ୍ୱାସ ରହିଛି କି, ଏହି ଅଭ୍ୟାସ ଦ୍ୱାରା ଅକାଳ ମୃତ୍ୟୁ ଦୂର ହୁଏ, ଦୀର୍ଘ ତଥା ସୁସ୍ଥ ଜୀବନ ପ୍ରାପ୍ତ ହୁଏ । ଏହା ଶତ୍ରୁଙ୍କଠାରୁ ନିଜକୁ ରକ୍ଷା କରିବାରେ ସହାୟକ ହୁଏ, ଅସମ୍ପୂର୍ଣ୍ଣ ପୂଜାର ଦୋଷ ଦୂର କରେ ଏବଂ ପ୍ରାୟଶ୍ଚିତ୍ତର ରୂପ ବୋଲାଏ । ଯେପରି ବିଷ୍ଣୁ ସହସ୍ରନାମ ପରେ ଏପରି କରିବା ଜ୍ଞାନ, ସମୃଦ୍ଧି ଏବଂ ମୁକ୍ତି ପ୍ରଦାନ କରେ ସେହିଭଳି ଲଳିତା ସହସ୍ରନାମ କ୍ଷେତ୍ରରେ ଏହା ମାତୃକୃପା ପ୍ରାପ୍ତିରେ ସାହାଯ୍ୟ କରିଥାଏ ।
୫. ସାଂସ୍କୃତିକ ଏବଂ ପରମ୍ପରାଗତ ମହତ୍ତ୍ୱ:
ମନ୍ଦିରରେ ବା ଗୃହରେ ପୂଜା ସମୟରେ ଏହି କ୍ରମ ଅନୁସରଣ କରାଯାଏ, ଯାହା ପରମ୍ପରାକୁ ବଜାୟ ରଖେ । ଏହା ଭକ୍ତକୁ ନିୟମିତ ଅଭ୍ୟାସରେ ବ୍ରତୀ କରାଏ ଏବଂ ମନକୁ ମାନବତା ପ୍ରଦାନ କରେ ଏବଂ ନିଷ୍ଠାରେ ଉଦ୍ବୁଦ୍ଧ କରେ ।
ସହସ୍ରନାମ ପାଠ ପରେ ପରେ ନାମାବଳୀ ଜପ ବା ଦିବ୍ୟବସ୍ତୁ ଯେମିତି କି, ଅର୍ଘ୍ୟ, ପୁଷ୍ପ, ବିଲ୍ୱପତ୍ର, ଅକ୍ଷତ ଅବା ଦୀପ, ଫଳ ଇତ୍ୟାଦିର ଅର୍ପଣ ହେଉଛି ଏକ ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମିକ ଅଭ୍ୟାସ, ଯାହା ସାଧକଙ୍କୁ ଭକ୍ତି, ଶକ୍ତି ଏବଂ ଫଳପ୍ରାପ୍ତିକୁ ବୃଦ୍ଧି କରିଥାଏ । ଏହା କେବଳ ରୀତିନୀତି ନୁହେଁ ବରଂ ଈଶ୍ୱରଙ୍କ ସହିତ ସମ୍ପର୍କ ଗଢ଼ିବାର ଏକ ମାଧ୍ୟମ । ନିୟମିତ ଅଭ୍ୟାସ ଦ୍ୱାରା ଏହାର ଲାଭ ଅବଶ୍ୟ ଅନୁଭବ କରାଯାଇପାରେ ।










Reviews
There are no reviews yet.